ନବ ଦାସଙ୍କୁ ନୈତିକତାର ମୂଲ୍ୟବୋଧ ଶିଖାଉଥିବା ପ୍ରଦୀପ ମାଝୀ ନିଜ ବେଳକୁ କେମିତି ଭୁଲିଗଲେ?

0 93

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ବିଧିବଦ୍ଧ ଭାବରେ ବିଜେଡିରେ ମିଶି ଶଙ୍ଖ ଫୁଙ୍କିଛନ୍ତି । ତାଙ୍କ ଅଂଚଳର ସମଗ୍ର ବିକାଶ ପାଇଁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ତେବେ ଯେଉଁ ଦଳ ତାଙ୍କୁ ଆଦିବାସୀ ନେତାର ପରିଚୟ ଦେଇଥିଲା ଆଉ ଯେଉଁଦଳ ବିରୋଧରେ ପ୍ରତିଦିନ ବର୍ଷୁଥିଲେ ଆଜି ହଠାତ୍ ପ୍ରଦୀପ କିଭଳି ବିଜେଡିରେ ସାମିଲ ହୋଇଗଲେ ତାକୁ ନେଇ ସୋଶିଆଲ ମିଡିଆରେ ଅନେକ ପ୍ରଶ୍ନ ଦେଖିବାକୁ ମିଳିଛି।

ଏହାରି ଭିତରେ ପ୍ରଦୀପ ମାଝୀଙ୍କର ଏକ ଟ୍ୱିଟ୍ ବିଭିନ୍ନ ଫେସବୁକ ଗ୍ରୁପ ଓ ଫେସବୁକ ଓ୍ୱାଲରେ ଭାଇରାଲ ହୋଇଛି। ଯାହାକି ସେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କରିଥିଲେ ଏବେର ବିଜେଡି ବିଧାୟକ ନବ ଦାସଙ୍କ ଉଦ୍ଦେଶ୍ୟରେ । ଏବେର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ୨୦୧୯ ପୂର୍ବରୁ କଂଗ୍ରେସର ଜଣେ ଆଗ ଧାଡିର ନେତା ଥିଲା। ସେ ଝାରସୁୁଗୁଡାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ବେଳକୁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ୍ ହୋଇଥିଲେ। ସେତେବେଳେ ପ୍ରଦୀପ ମାଝୀ ଟ୍ୱିଟ୍ କରି ଲେଖିଥିଲେ, ରାଜନୀତିରେ ନୀତି ନୈତିକତା ବୋଲି କିଛି ଅଛି ନା କେବଳ ସୁଯୋଗକୁ ସମସ୍ତେ ଅପେକ୍ଷା କରୁଛନ୍ତି। ନବ ଦାସ ଯେଉଁ ବିଜେଡିର ଆଦର୍ଶକୁ ନେଇ ପ୍ରଶ୍ନ ଉଠାଉଥିଲେ ଆଜି ସେ କିଭଳି ବିଜେଡିରେ ସାମିଲ୍ ହୋଇପାରିଲେ ?” । ପ୍ରଦୀପ ଏହି ଟ୍ୱିଟ୍ ଜାନୁଆରୀ ୧୭, ୨୦୧୯ରେ କରିଥିଲେ।

କିନ୍ତୁ ନବ ଦାସ ଏବେ ମନ୍ତ୍ରୀ ରହିଛନ୍ତି। ଆଉ ତାଙ୍କ ପରେ ପରେ ଯଦି କେହି କଂଗ୍ରେସର ବଡ ନେତା ବିଜେଡିରେ ସାମିଲ ହୋଇଛନ୍ତି ସେ ହେଉଛନ୍ତି ନିଜେ ପ୍ରଦୀପ ମାଝୀ। ହେଲେ ଏବେ ପ୍ରଶ୍ନ ଉଠୁଛି ଦୁଇ ମାସ ତଳେ ଯେଉଁ ପ୍ରଦୀପ ମାଝୀ ପିପିଲି ଉପନିର୍ବାଚନ ଏବଂ ନିଜ ଅଂଚଳରେ ହୋଇଥିବା ଖଣି ଲିଜକୁ ନେଇ ସରକାର ବା ଶାସକ ଦଳକୁ ଘେରିଥିଲେ । ଆଜି ସେ ନିଜେ କିପରି ସେହି ଦଳକୁ ଲମ୍ଫ ମାରିଲେ ବୋଲି ସୋଶିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ବୁଦ୍ଧିଜୀବୀଙ୍କ ମତ ଅନୁଯାୟୀ ରାଜ୍ୟ କଂଗ୍ରେସରେ ଅବନ୍ନତି ଅଧିକ ଉନ୍ନତୀ କମ୍ । ଏପରି ସ୍ଥିତିରେ ଅସହାୟ ହୋଇପଡିଥିବା ଦଳୀୟ ନେତା ନିଜ ସ୍ଥିତି ବଂଚାଇବାକୁ ଯାଇ ନିଜ ମହତ ନିଜେ ରଖିବାକୁ ଚାହୁଁଛନ୍ତି। ରାଜନୀତିରେ ଆଦର୍ଶବାଦର କଥା ନାମକୁ ମାତ୍ର। ପୂର୍ବପରି ଗୋଟିଏ ଦଳରେ ପଡି ହୋଇ ରହିବା ସ୍ଥିତି ଆଉ ନାହିଁ। ତେଣୁ ସମସ୍ତେ କରୁଛନ୍ତି ମୁଁ ବି କରିବା ନିଶାରେ ନେତାମାନେ ଦଳ ବଦଳ କରି ନିଜର ପତିଆରା ରଖିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.