ବିଜେପିର ବରୁଣ ଏବଂ ସୁବ୍ରମଣ୍ୟମ ହେବେ ଟିଏମସି ନେତା !

0 68

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିଜର ସ୍ଥିତି ମଜବୁତ କରିବା ପରେ 2024 ସୁଦ୍ଧା ସାରା ଦେଶରେ ଟିଏମସି କିଭଳି ପଦ ଚିହ୍ନ ରଖିବ ସେ ଚିନ୍ତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସାରା ଦେଶରେ କଂଗ୍ରେସର ନେତୃତ୍ୱକୁ ଲୋକେ ପ୍ରତ୍ୟାଖ୍ୟାନ କରିବା ପରେ ଏବେ ବିଜେପିକୁ କଡା ମୁକାବିଲା କରିବାକୁ ସେମିତି ଦଳ ନାହିଁ । ତେଣୁ କଂଗ୍ରେସର ସ୍ଥାନ ନେବା ପାଇଁ ଦିଦି କାନି ଭିଡିଛନ୍ତି । ଆଉ ଏନେଇ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

ପଶ୍ଚିମବଙ୍ଗ ପରେ ଏବେ ଟିଏମସିର ଲକ୍ଷ୍ୟ କିଭଳି ତ୍ରିପୁରା, ଗୋଆ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ଆଉ ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ନିକଟରେ କଂଗ୍ରେସର ହେବିଓ୍ୱେଟ କିର୍ତ୍ତୀ ଆଜାଦ ଏବଂ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସମେତ 12 କଂଗ୍ରେସ ନେତା ଟିଏମସିରେ ସାମିଲ ହୋଇଛନ୍ତି । ଦିଦି ନିଜେ ଏବେ ନେତା ଆମାଦାନୀ କରି ଦଳକୁ ମଜବୁତ କରିବା ପାଇଁ ଅନ୍ୟାନ୍ୟ ଦଳରେ ଅସନ୍ତୁଷ୍ଟ ଏବଂ ସୁଯୋଗ ଅପେକ୍ଷାରେ ଥିବା ନେତାଙ୍କୁ  ନିଜ ଦଳକୁ ଆଣିବାକୁ ଯୋଗାଯୋଗ କରୁଛନ୍ତି।

ଗତକାଲି ଦିଲ୍ଲୀରେ ପହଂଚି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ସହିତ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମଧ୍ୟ ଭେଟିଥିଲେ। ଏହି ଭେଟଘାଟ ବେଳର ଫୋଟ ବେଶ କିଛି ବାର୍ତ୍ତା ଦେଇଛି। ସୁବ୍ରମଣ୍ୟମ ସ୍ୱାମୀ ଦଳରେ ଥିଲେ ମଧ୍ୟ ଅନେକ ପ୍ରସଙ୍ଗରେ ନିଜ ସରକାରକୁ ଅଡୁଆରେ ପକାଉଛନ୍ତି। ଦେଶର ଅଭିବୃଦ୍ଧି ହାର  ହେଉ ଅବା କରୋନା ନୀତି ପ୍ରସଙ୍ଗରେ ନିଜ ଦଳର ସରକାରକୁ ଘନ ଘନ ଆକ୍ରମଣ କରୁଛନ୍ତି। ଯାହାର ପରିଣାମ ସେ ଏବେ ଦଳରେ କୋଣଠେସା । ଜଣେ ଜ୍ଞାନୀ, ଗୁଣି ବ୍ୟକ୍ତି ହୋଇଥିବାରୁ ଟିଏମସି ଏବେ ତାଙ୍କୁ ଦଳରେ ସାମିଲ କରି ସଂସଦକୁ ପଠାଇବାକୁ ଯୋଜନା କରୁଥିବା ସୂଚନା ରହିଛି। ଏପରି ହେଲେ ଟିଏମସି ସରକାର ବିରୋଧରେ ନିଜ ସ୍ୱର ଶାଣିତ କରିପାରିବ। ଯଦିଓ ସୁବ୍ରମଣ୍ୟମ ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି ହେଲେ ବିଜେପି ଆଉ ଥରେ ତାଙ୍କୁ ସଂସଦକୁ ନିର୍ବାଚିତ କରିବ ସମ୍ଭାବନା କ୍ୱଚିତ୍ । ଏପରି ସ୍ଥିତିରେ ସୁବ୍ରମଣ୍ୟଣମ ସ୍ୱାମୀଙ୍କୁ ନିଜ ପଟକୁ ଆଣିବାକୁ ଦିଦି ଆମନ୍ତ୍ରଣ କରିଥିବା ସୂଚନା ରହିଛି। ଗତକାଲିର ଏହି ଭେଟଘାଟ ପରେ ଆଜି ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟ୍ୱିଟ୍ କରି ମୋଦୀ ସରକାର କେଉଁ ପ୍ରସଙ୍ଗରେ ଫେଲ୍ ହୋଇଛନ୍ତି ତାହା ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, 2014 ନିର୍ବାଚନ ବେଳେ ସୁବ୍ରମଣ୍ୟମ ସ୍ୱାମୀ ବିଜେପିରେ ସାମିଲ ହୋଇଥିଲେ। ଆଉ ତାଙ୍କ ଦଳକୁ ମଧ୍ୟ ମିଶାଇ ଦେଇଥିଲେ। ସେ ଦଳରେ ସାମିଲ୍ ହେବା ପରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସକୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ କାଠଗ଼ଡାରେ ଛିଡା କରିଥିଲେ। କଂଗ୍ରେସର ହେବିଓ୍ୱେଟ ତଥା ଜେଲ୍ ଫେରନ୍ତା ନେତା ପି ଚିଦାମ୍ବରମ୍ବଙ୍କ ଦୁର୍ନୀତି ସୁବ୍ରମଣ୍ୟମ ସ୍ୱାମୀ ଆଣିଥିଲେ। ଏବେ ସାରା ଦେଶରେ କଂଗ୍ରେସ ଦୁର୍ବଳ ହୋଇସାରିଥିବାରୁ ବିଜେପି ସୁବ୍ରମଣ୍ୟମଙ୍କୁ ଆଉ ସେତେଟା ଗୁରୁତ୍ୱ ଦେଉ ନଥିବା ସୂଚନା ରହିଛି।

ସେହିପରି ଆଗକୁ ୟୁୁପି ନିର୍ବାଚନ ଆଗକୁ ଅଛି ଟିଏମସି ଏବେ ଦଳର ଚେହେରା କିଏ ହେବ ସେ ନେଇ ‘ଟ୍ୟାଲେଣ୍ଟ ହଣ୍ଟ’ ଆରମ୍ଭ କରିଛି। ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ଦଳରେ କୋଣଠେସା ହୋଇ ରହିଛନ୍ତି। ଏକଦା ୟୁପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚର୍ଚ୍ଚା ହେଉଥିବା ଏହି ନେତା ମନ୍ତ୍ରୀ ପଦ କିମ୍ବା ଦଳର କୋର ଗ୍ରୁପରେ ସାମିଲ ନଥିବାରୁ ବିଭିନ୍ନ ସମୟରେ ଦଳକୁ ଅନେକ ପ୍ରସଙ୍ଗରେ ଘେରୁଛନ୍ତି। ମମତା ଏବଂ ବରୁଣଙ୍କ ମଧ୍ୟରେ ଖୁବଶୀଘ୍ର ଭେଟଘାଟ ହେବାର ଅଛି। ୟୁପିରେ ଟିଏମସି ବିଧାନସଭା ନିର୍ବାଚନ ଲଢିବାକୁ ଯୋଜନା କରିଛି। ତେଣୁ ଏହି ଭେଟଘାଟ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.